IHRF ପକ୍ଷରୁ ଚଇତି ଲୋକମୋହତ୍ସବରେ ଖାଦ୍ୟ ଷ୍ଟଲ ଯାଞ୍ଚ ପାଇଁ ଦାବି |

ରାୟଗଡା : ରାଜ କୁମାର ଲିମା (ପରିସ୍କାର ଓଡିଶା ନ୍ୟୁଜ )

ଆସନ୍ତା ଚର୍ଚ୍ଚିତ ରାୟଗଡା ଚଇତି ଲୋକମୋହତ୍ସବ ଧୁମଧାମରେ ପାଳିତ ହେବାକୁ ଯାଉଛି | ଚଇତି ପର୍ବକୁ ନେଇ ରାୟଗଡା ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ଅସ୍ଥାୟୀ ଖାଦ୍ୟ ଷ୍ଟଲଗୁଡ଼ିକରେ କଡା ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ଯାଞ୍ଚ କରାଯିବାକୁ International Human Rights Forum (IHRF) ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହରଙ୍କ ଜରିଆରେ ଜିଲ୍ଲାପାଳ ତଥା ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କୁ ଲିଖିତ ଆବେଦନ ଦିଆଯାଇଛି।

IHRF ପକ୍ଷରୁ କୁହାଯାଇଛି ଯେ ଚଇତି ହେଉଛି ରାୟଗଡା ଜିଲ୍ଲାର ସାଧାରଣ ଲୋକଙ୍କ ପର୍ବ ଏହି ସମୟରେ ବହୁ ସଂଖ୍ୟାରେ ଲୋକମାନେ କୋଣ ଅନୁକୋଣରୁ ଏକତ୍ରିତ ହୁଅନ୍ତି ଏବଂ ଏହି ସମୟରେ ଅନେକ ଅସ୍ଥାୟୀ ଓ ଚଳନଶୀଳ ଖାଦ୍ୟ ଦୋକାନ କାର୍ଯ୍ୟ କରେ। ଏମିତି ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ନିଶ୍ଚିତ ନହେଲେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି ହୋଇପାରେ | ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ଯେ ଖାଦ୍ୟ ସୁରକ୍ଷା ଅଧିକାରୀ/ଖାଦ୍ୟ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇ ସମସ୍ତ ଖାଦ୍ୟ ଷ୍ଟଲରେ ପର୍ବ ଆରମ୍ଭ ପୂର୍ବରୁ ଓ ପର୍ବ ସମୟରେ ନିୟମିତ ଯାଞ୍ଚ କରାଯାଉ। ଏହି ଯାଞ୍ଚରେ ଖାଦ୍ୟ ପ୍ରସ୍ତୁତି, ସଞ୍ଚୟ ପ୍ରଣାଳୀ, ସ୍ୱଚ୍ଛତା ଓ ସାନିଟେସନ ବ୍ୟବସ୍ଥା ଯାଞ୍ଚ ହେବା ଆବଶ୍ୟକ ବୋଲି ସଂଗଠନ କହିଛି।

ଏହାସହିତ, ଯାଞ୍ଚରେ ଅନୁମୋଦିତ ହୋଇଥିବା ପ୍ରତ୍ୟେକ ଖାଦ୍ୟ ଷ୍ଟଲରେ “ଖାଦ୍ୟ ସୁରକ୍ଷା ଯାଞ୍ଚିତ” ବୋଲି ଏକ ସ୍ପଷ୍ଟ ଓ ଦୃଶ୍ୟମାନ ସୂଚନା ପଟ୍ଟିକା ଲଗାଇବାକୁ ସୁପାରିଶ କରାଯାଇଛି। ଏହା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ବଢ଼ିବା ସହ ଖାଦ୍ୟ ଚୟନରେ ସଚେତନତା ଆସିବ ବୋଲି ସଂଗଠନ ମତ ପ୍ରକାଶ କରିଛି। IHRF ପକ୍ଷରୁ ଦିଆଯାଇଥିବା ଦାବିପତ୍ର ଓ ସମସ୍ତ ମତକୁ ଅନୁଧ୍ୟାନ କରି ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହର ତତକ୍ଷଣାତ ଫୋନ ମାଧ୍ୟମରେ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ ଗୁରୁତ୍ୱର ସହ ଜଣାଇଥିଲେ ଏବଂ ଦାବିପତ୍ର ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ, ଅତିରିକ୍ତ ଜିଲ୍ଲାପାଳଙ୍କ ଏଭଳି ମାନବିକତା ଓ କାର୍ଯ୍ୟଶୈଳୀ ବେଶ ପ୍ରଶଂସନୀୟ ବୋଲି ଉପସ୍ଥିତ ହ୍ୟୁମାନ ରାଇଟ୍ସ ଆକ୍ଟିଭିଷ୍ଟ ରାଜ୍ୟ ଉପ ସଭାପତି ସୁଶାନ୍ତ ମହାରଣା,ରାଜ୍ୟ ଯୁଗ୍ମ ସଚିବ ବିଶ୍ୱରାଜ ଛିଞ୍ଛାନି, ଜିଲ୍ଲା ସଭାପତି ଗୌରୀ ପ୍ରଧାନୀ ଏବଂ ସାମ୍ବାଦିକ ରାଜ କୁମାର ଲିମା ଖୁସି ବ୍ୟକ୍ତ କରିଥିଲେ | ଏଭଳି ପୂର୍ବ ସତର୍କତାମୂଳକ ପଦକ୍ଷେପ ନେଲେ ଚଇତି ଲୋକମୋହତ୍ସବ ପର୍ବ ସମୟରେ ସାଧାରଣ ଲୋକ ନିରାପଦ ଓ ସ୍ୱାସ୍ଥ୍ୟସମ୍ମତ ପରିବେଶରେ ପର୍ବ ଉପଭୋଗ କରିପାରିବେବୋଲି ବୁଦ୍ଧିଜୀବ ମହଲରେ ଚର୍ଚ୍ଚା ହଉଛି।

Leave a Reply

Your email address will not be published. Required fields are marked *

error: Content is protected !!