ରାଜ କୁମାର ଲିମା (ପରିସ୍କାରଓଡିଶା ନ୍ୟୁଜ)
ରାୟଗଡା :(30/01/2026)
ଉତ୍କଳ ଆଇନ ମହାବିଦ୍ୟାଳୟ ରାୟଗଡା ପକ୍ଷରୁ ଆଜି ଏକ ଦିନିଆ କର୍ମଶାଳା ଓ ସେମିନାର୍ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡ଼ାର ସହଯୋଗରେ ରାୟଗଡା ସ୍ଥିତ ଲାଇନ୍ସ କ୍ଲବ ଠାରେ ଆୟୋଜନ କରାଯାଇଥିଲା |କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି, ସେଞ୍ଚୁରୀୟାନ ଅନୁଷ୍ଠାନର ନିର୍ଧେଶକ ରାଜେଶ ପାଢ଼ୀ, ଜିଆଇସିଆର ଅନୁଷ୍ଠାନର ନିର୍ଧେଶକ ଗୋବିନ୍ଦ ଚନ୍ଦ୍ର ରଥ, ରାଜ୍ୟପାଳ ପୁରସ୍କୃତ ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଉତ୍କଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |
କର୍ମଶାଳାର ବିଷୟବସ୍ତୁ ଥିଲା “ପ୍ରଯୁକ୍ତି ଏବଂ ଆପରାଧିକ ଆଇନ: ସାଇବର୍ କ୍ରାଇମ୍, ଡିଜିଟାଲ୍ ସାକ୍ଷ୍ୟ ଏବଂ ଆଇନଗତ ଚ୍ୟାଲେଞ୍ଜ”। ଏହି ଅବସରରେ ବକ୍ତାମାନେ ସାଇବର୍ ଅପରାଧର ବୃଦ୍ଧିଶୀଳ ପ୍ରବଣତା, ଅନଲାଇନ୍ ଠକେଇ, ଡାଟା ଚୋରି, ସୋସିଆଲ୍ ମିଡିଆ ମାଧ୍ୟମରେ ହେଉଥିବା ଅପରାଧ ଓ ସେସବୁରୁ ସାବଧାନ ରହିବା ଉପାୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ |
ଡିଜିଟାଲ୍ ସାକ୍ଷ୍ୟ ସଂଗ୍ରହ, ସଂରକ୍ଷଣ ଓ ଆଦାଲତରେ ତାହାର ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରକ୍ରିୟା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ଉପକାରୀ ବୋଲି ବକ୍ତାମାନେ କହିଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟ ଅତିଥି ବିଚାରକ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ସମ୍ପାଦକ ସୁବ୍ରତ କୁମାର ଆଚାର୍ଯ୍ୟ,ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏନ.ସି ପଟ୍ଟନାୟକ, ସରକାରୀ ପ୍ଲିଡ଼ର ପଦ୍ମନାଭ ଦାସ ଓ ବ୍ରଜସୁନ୍ଦର ନାୟକ ପ୍ରମୁଖ ଯୋଗଦେଇ ଆଇନଗତ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ବିଚାରକ ସୁବ୍ରତ କୁମାର ଆଚାର୍ଯ୍ୟ ପୋଶ ଆଇନ (ଯାହାକି କାର୍ଯ୍ୟସ୍ଥଳରେ ମହିଳାଙ୍କୁ ସୁରକ୍ଷା ଦେଇଥାଏ) କେଉଁଭଳି କାର୍ଯ୍ୟକାରୀ ହୁଏ ତାହା ସଂକ୍ଷେପରେ ବୁଝାଇଥିଲେ | ଉତ୍କଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଓ ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉତ୍କଳ ଆଇନ ମହାବିଦ୍ୟାଳୟ ଆଇନ କ୍ଷେତ୍ରରେ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବାର୍ତ୍ତା ଦେଇଥିଲେ | ମଞ୍ଚକୁ ପରିଚାଳନା କରିଥିଲେ ଅପର୍ଣ୍ଣା ମହାରଣା, ଜ୍ୟୋତିର୍ମୟୀ ମିଶ୍ର ଓ ସ୍ୱାଧୀନ ପଟ୍ଟନାୟକ, ଶେଷରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଅଧ୍ୟାପକ ଶିବ ପ୍ରସାଦ ମିଶ୍ର ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଅତିଥିବୃନ୍ଦ ଏପରି ଶିକ୍ଷାମୂଳକ କର୍ମଶାଳାକୁ ବେଶ ପ୍ରଶଂସା କରିଥିଲେ |

