ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୁଜ)
“ଡବଲ ଇଞ୍ଜିନ ସରକାରରେ ଡବଲ ଦରବୃଦ୍ଧି” : ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ
ରାୟଗଡା, ତାରିଖ : ପେଟ୍ରୋଲ ଓ ଡିଜେଲର ଲଗାତାର ଅହେତୁକ ଦରବୃଦ୍ଧିକୁ ନେଇ ଆଜି ରାୟଗଡା ଜିଲ୍ଲା କପିଳାଶ ଛକଠାରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେଡି ନେତାମାନେ କେନ୍ଦ୍ର ଓ ରାଜ୍ୟର “ଡବଲ ଇଞ୍ଜିନ ସରକାର” ଉପରେ ତୀବ୍ର ଆକ୍ରମଣ କରି କହିଥିଲେ ଯେ, ସରକାରୀ ନୀତିର ଫଳରେ ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧିର ଭାର ଦିନକୁ ଦିନ ବଢ଼ିଚାଲିଛି।
ବିକ୍ଷୋଭ ସଭାରେ ଉଦ୍ବୋଧନ ଦେଇ ନେତାମାନେ କହିଥିଲେ ଯେ, ଇନ୍ଧନ ଦରବୃଦ୍ଧିର ସିଧା ପ୍ରଭାବ ପରିବହନ, ଖାଦ୍ୟସାମଗ୍ରୀ ଓ ଦୈନିକ ଆବଶ୍ୟକୀୟ ପଦାର୍ଥର ମୂଲ୍ୟ ଉପରେ ପଡ଼ୁଛି। ଏହା ଫଳରେ ସାଧାରଣ ଓ ମଧ୍ୟବର୍ଗୀୟ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ସରକାର ଯଦି ତୁରନ୍ତ ଦରବୃଦ୍ଧି ପ୍ରତ୍ୟାହାର ନକରନ୍ତି, ତେବେ ଆଗାମୀ ଦିନରେ ବିଜେଡି ପକ୍ଷରୁ ଆହୁରି ବ୍ୟାପକ ଆନ୍ଦୋଳନ ସହ ରାଜରାସ୍ତାକୁ ଓଲ୍ହାଇ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା , ବରିଷ୍ଠ ନେତା ବ୍ରଜ ସୁନ୍ଦର ନାୟକ, ସନ୍ତୋଷ କୁମାର ପାତ୍ର, କିଶୋର ପଣ୍ଡା, ରାମଚନ୍ଦ୍ର ପାଢ଼ୀ, ମହିଳା ନେତ୍ରୀ ଅନୁସୟା ମାଝୀ, ଛାତ୍ର ନେତା ବିନାୟକ ପୋଲାଇ, ଯୁବ ସଭାପତି ଉଦୟ ହିମ୍ରିକା, ଆଦିବାସୀ ନେତା ରାବଲା ମାଝୀ ଓ ସଦାରାମ ମଣ୍ଡାଙ୍ଗୀ ପ୍ରମୁଖ ଯୋଗଦେଇ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।
