ବ୍ୟୁରୋ ରିପୋର୍ଟ
ରାୟଗଡା ତା -01/06/2026
ଉତ୍କଳ ଆଇନ ମହାବିଦ୍ୟାଳୟ ଓ ମସ୍କୋ ୟୁନିଭର୍ସିଟି ଅଫ୍ ରିସର୍ଚ୍ଚର ମିଳିତ ସହଯୋଗରେ ରାୟଗଡାସ୍ଥିତ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ “ଗ୍ରାଜୁଏଟ ଡେ’ ଓ ଆନ୍ତର୍ଜାତୀୟ ସେମିନାର” ଅନୁଷ୍ଠିତ ହୋଇଯାଇଛି। “କୃତ୍ରିମ ବୁଦ୍ଧିମତା, ନୈତିକତା, ମାନବ ବ୍ୟବହାର ଓ ଆଇନର ଭବିଷ୍ୟତ” ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସେମିନାରରେ ବିଶିଷ୍ଟ ଶିକ୍ଷାବିତ୍, ଆଇନ ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।
ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରେ ମଞ୍ଚାସୀନ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ମଞ୍ଚାସୀନ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତା ବର୍ତ୍ତମାନ ବିଶ୍ୱର ଆର୍ଥିକ, ସାମାଜିକ ଓ ନ୍ୟାୟିକ ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆଣୁଛି। ଏହାର ସକାରାତ୍ମକ ପ୍ରଭାବ ସହିତ ନୈତିକତା, ଗୋପନୀୟତା, ମାନବ ଅଧିକାର ଓ ଆଇନଗତ ଦାୟିତ୍ୱ ଭଳି ପ୍ରସଙ୍ଗ ଉପରେ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ଭବିଷ୍ୟତରେ AI ଆଇନ କ୍ଷେତ୍ରରେ କିଭଳି ପ୍ରଭାବ ପକାଇବ ଏବଂ ଏହାକୁ ନେଇ କେଉଁଭଳି ନୀତିଗତ ଓ ଆଇନଗତ ଢାଞ୍ଚା ପ୍ରସ୍ତୁତ କରାଯିବା ଉଚିତ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଗ୍ରାଜୁଏଟ ଡେ’ ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ସହ ସେମାନଙ୍କୁ ଭବିଷ୍ୟତ ଜୀବନରେ ସଫଳତା ପାଇଁ ଉତ୍ସାହିତ କରାଯାଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡଃ ପ୍ରଶାନ୍ତ କୁମାର ଗନ୍ତାୟତ, ସମ୍ମାନୀୟ ଅତିଥି ଭାବେ ଡଃ ବିନୋଦ କୁମାର ପାତ୍ର ଏବଂ ବିଶେଷ ଅତିଥି ଭାବେ ବରିଷ୍ଠ ସରକାରୀ ଆଇନଜୀବୀ ପଦ୍ମନାଭ ଦାଶ ଯୋଗଦେଇଥିଲେ। ଉତ୍କଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଶୋକ କୁମାର ମିଶ୍ର, ଡିନ୍ (ଛାତ୍ର ମଙ୍ଗଳ) ଶିବପ୍ରସାଦ ମିଶ୍ର, ଡିନ୍ (ଏକାଡେମିକ୍) ବିଷ୍ଣୁପ୍ରସାଦ ଘୋଡ଼ାଇ ଏବଂ ସେକ୍ସନ ଅଫିସର ସୁବାଶିଷ ମାଲବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ମହେଶ୍ୱତା ପାଣିଗ୍ରାହୀ ସଫଳତାର ସହ ମଞ୍ଚ ପରିଚାଳନା କରିଥିଲେ।
ସେମିନାରରେ ସହରର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ଶିକ୍ଷାବିତ୍, ଆଇନଜୀବୀ, ଗବେଷକ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ, ଏଭଳି ଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ଅଞ୍ଚଳର ଶିକ୍ଷା ଓ ଗବେଷଣା ପରିବେଶକୁ ଅଧିକ ସମୃଦ୍ଧ କରିବାରେ ସହାୟକ ହେବ।
