ବ୍ୟୁରୋ ରିପୋର୍ଟ
ପରିସ୍କାରଓଡିଶା ନ୍ୟୁଜ
ରାୟଗଡ, ୧୪/୬(): ରାୟଗଡର ପ୍ରସିଦ୍ଧ ମା ମଝିଘରିଆଣି ମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଦେଖାଦେଇଛି ଅବ୍ୟବସ୍ଥା। ପ୍ରତି ରବିବାର ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ, ସଠିକ୍ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ନ ଥିବାରୁ ଭକ୍ତମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଧାଡି ଦର୍ଶନ ପାଇଁ ବ୍ୟାରିକେଡ୍ ଓ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ, ଭିଡ଼ ବଢ଼ୁଥିବା ସମୟରେ ସଠିକ୍ ପରିଚାଳନାର ଅଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ବିଶେଷକରି ବୃଦ୍ଧ, ମହିଳା ଓ ଛୋଟ ଶିଶୁଙ୍କ ସହ ଆସୁଥିବା ଶ୍ରଦ୍ଧାଳୁମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ସମୟ ଧରି ଧାଡିରେ ଅପେକ୍ଷା କରିବା ସହ ଠେଲାପେଲା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଥିବା ଦେଖାଯାଇଛି | ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁମାନଙ୍କ ଅଭିଯୋଗ ଅନୁସାରେ, ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉନାହିଁ। ମନ୍ଦିର ପରିସରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ମନ୍ଦିର ଜାଗାରେ ରୂପାନ୍ତରଣ କାମ ଜାରି ରହିଥିବା ବେଳେ ମନ୍ଥର ଗତିରେ ଏହି କାମ ଚାଲୁଥିବା ଅଭିଯୋଗ ହେଉଛି | ଚଳିତ ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ଖରାରେ ଆସୁଥିବା ଭକ୍ତଙ୍କ ପାଇଁ ମନ୍ଦିରରେ ବସିବା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନ ଥିବା ବେଳେ ମନ୍ଦିରର ଅତିଥି ଭବନର ପରିଚାଳନାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି | ମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏଭଳି ଅବ୍ୟବସ୍ଥାକୁ ନିନ୍ଦା କରିବା ସହ ଭିଡ଼ିଓ ବନାଇ ତାହାକୁ ଭାଇରଲ କରୁଛନ୍ତି ଯାହାକି ମା ମଝିଘରିଆଣି ମନ୍ଦିର ପରିଚାଳନାର ଛବିକୁ ମଳିନ କରିବା ସହ ରାୟଗଡର ନାମ ମଧ୍ୟ ବଦନାମ ହେଉଛି | ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି ଯେ, ଆଗାମୀ ଦିନରେ ଭିଡ଼କୁ ଦୃଷ୍ଟିରେ ରଖି ସୁଚାରୁ ଧାଡି ଦର୍ଶନ ବ୍ୟବସ୍ଥା, ଅଧିକ ସୁରକ୍ଷାକର୍ମୀ ନିଯୁକ୍ତି ଓ ପିଇବା ପାଣି ସହ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା କରାଯାଉ। ତେବେ ଏ ନେଇ ମନ୍ଦିର ପରିଚାଳନା ଟ୍ରଷ୍ଟିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |
