୧- 👉 ପରିବହନ ବିଭାଗ ପକ୍ଷରୁ ଗାଡ଼ି ପ୍ରଦୂଷଣ ଏବଂ ବୀମା ନିୟମକୁ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏ ଦୁଇଟିର ଅଭାବ ରହିଲେ ଫାଶଟାଗ୍ ମିଳିବ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶକୁ ଓଡ଼ିଶା ଫେବୃୟାରୀରୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ମାତ୍ରା ଓ ଦୁର୍ଘଟଣାକୁ ନଜରରେ ରଖି ରାଜ୍ୟ ପରିବହନ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀରୁ ଏହା କାର୍ଯ୍ୟକାରୀ ହେବ। ପ୍ରଥମେ ବ୍ୟବସାୟିକ ଗାଡ଼ିରେ ଏହିସବୁ କଟକଣା ଲଗାଯିବ।
୨- 👉 ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଜନ୍ମଦିନ। ସେ ୫୪ ବର୍ଷ ବୟସରେ ଉପନୀତ ହୋଇଛନ୍ତି। ଦୀର୍ଘ ରାଜନୀତିକ କ୍ୟାରିୟରରେ ଏହା ହେଉଛି ତାଙ୍କର ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ।
୩- 👉 ଘରୁ ସଫେଇ ବାଲା ଏଣିକି ମାଗଣାରେ ଅଳିଆ ବ୍ୟାଗ୍ ନେବ ନାହିଁ। ସ୍ୱଚ୍ଛତା ରକ୍ଷା ପାଇଁ ଏଣିକି ଭୁବନେଶ୍ୱରବାସୀଙ୍କୁ ଅର୍ଥ ଦେବାକୁ ହେବ। ଏହି ଦେୟର ନାଁ ରହିବ ୟୁଜର ଫି’। ଘର ହେଉ ବା ଦୋକାନ , ହୋଟେଲ ଅବା କୌଣସି ଅନୁଷ୍ଠାନ କେହି ଏହି ୟୁଜର୍ସ ଫିରୁ ବାଦ ପଡ଼ିବେ ନାହିଁ। ସହରକୁ ସ୍ୱଚ୍ଛ, ସବୁଜ ସୁନ୍ଦର କରିବା ପାଇଁ ଆହ୍ୱାନ ଦେଇ ନୂଆବର୍ଷର ପ୍ରଥମ ଘୋଷଣାରେ ଏପରି କହିଛନ୍ତି ମେୟର ସୁଲୋଚନା ଦାସ।
୪- 👉 ମହାତ୍ମା ଗାନ୍ଧିଙ୍କ ଶହୀଦ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ରାଜ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହେବ। ତୃଣମୂଳସ୍ତରର ସଂଗଠନକୁ ସୁଦୃଢ଼ କରିବା ପାଇଁ ଏହି ଯାତ୍ରା ଉଦ୍ଦିଷ୍ଟ। ଏହି ଅଭଯାନରେ ପ୍ରତି ବୁଥରେ ୫ ଯୁବକର୍ମୀ ନିଯୁକ୍ତ କରିବାକୁ ଯୋଜନା ରଖିଛି ରାଜ୍ୟ କଂଗ୍ରେସ। ପିସିସିୁସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ।
୫- 👉 ଆଜିଠୁ ରାଜ୍ୟର ସମସ୍ତ ପିଏମ୍ଶ୍ରୀ ସ୍କୁଲରେ ‘ପଢ଼ିବା, ଗଢ଼ିବା ଓଡ଼ିଶା’ କାର୍ଯ୍ୟକ୍ରମ ଲାଗୁ ହେବାକୁ ଯାଉଛି। ୧୦ ତାରିଖ ଯାଏ ଏହି ଅଭିଯାନ ଚାଲିବ। ଏଥିରେ ପିଲାଙ୍କ ମୌଖିକ ଭାଷା ବିକାଶ, ବିସ୍ତୃତ ପଠନ, ଲିଖନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
୬- 👉 ଖେଳିବାକୁ ଯାଇଥିବା ୪ ଜଣ ସ୍କୁଲ୍ ପିଲା ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ଜଣେ ଛାତ୍ର ତାଙ୍କ ସାଙ୍ଗରେ ଥିବା ଅନ୍ୟ ପିଲାଙ୍କ ଉପରେ ଥିନର ଢାଳି ନିଆଁ ଲଗାଇ ଦେବାରୁ ଏପରି କାଣ୍ଡ ଘଟିଛି। ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ପାଇକଡାକୁଲୁଗୁଡ଼ା ଉନ୍ନୀତ ଡାଇସ୍କୁଲ୍ ରେ ଏପରି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ଆହତ ଛାତ୍ରମାନଙ୍କୁ କିଛି ଶିକ୍ଷକ ଉଦ୍ଧାର କରି ବିଷମ କଟକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।
୭- 👉 ଉତ୍ତରପ୍ରଦେଶରେ ଚାଲିଥିବା ସଘନ ଭୋଟର ତାଲିକା ସଂଶୋଧନ ( ଏସ୍ଆଇଆର୍)ର ଚିଠା ତାଲିକା ପ୍ରକାଶ କରାଯିବ। ଏହା ପୂର୍ବରୁ ଡିସେମ୍ବର ୩ ତାରିଖରେ ପ୍ରକାଶିତ ହେବାକୁ ଥିଲା।
୮- 👉 ଗତ ୧୧ ବର୍ଷରୁ ଅଧିକ ସମୟରେ ହେଲା ସର୍ବୋଚ୍ଚ ମଜୁରୀ ହାରରେ ଲାଗିଥିବା କଟକଣାକୁ ସଂଶୋଧନ କରାଯିବ କି ନା ସେଥିନେଇ ନିଷ୍ପତ୍ତି ନେବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ଓ ଇପିଏଫ୍ଓକୁ ଆଦେଶ ଦେଇଛନ୍ତି। ଆସନ୍ତା ୪ ମାସ ଭିତରେ ଏହି ନିଷ୍ପତ୍ତି କୋର୍ଟକୁ ଜଣାଇବାକୁ କୁହାଯାଇଛି।
୯- 👉 ବଂଲାଦେଶରେ ହିନ୍ଦୁ ବିରୋଧୀ ଉତ୍ତେଜନା ଜାରି ରହିଛି। ଜଣେ ପରେ ଜଣା ହିନ୍ଦୁ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଉଛି। ଗଲା ୨୪ ଘଣ୍ଟା ଭିତରେ ଦୁଇଜଣ ସଂଖ୍ୟାଲଘୁ ହିନ୍ଦୁ ବର୍ଗର ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ଗଲା ୧୮ ଦିନ ଭିତରେ ଏହି ହତ୍ୟା ସଂଖ୍ୟା ୬ ହୋଇଛି। ସାମ୍ବାଦିକଙ୍କଠୁ ଆରମ୍ଭ କରି ସଉଦା ଦୋକାନୀ ଯାଏ ପ୍ରତିନିଧିଙ୍କୁ ହତ୍ୟା କରୁଛନ୍ତି ମୁସ୍ଲିମ କଟ୍ଟରପନ୍ଥୀ।
୧୦- 👉 ଇରାନରେ ଚାଲିଥିବା ଉତ୍ତେଜନାକୁ ଦେଖି ଭାରତ ସରକାରଙ୍କ ପକ୍ଷରୁ ଯାତ୍ରା ପରାମର୍ଶ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ନଥିଲେ ଇରାନ ଯିବାକୁ ବାରଣ କରାଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ରୋହ ଏବଂ ହିଂସା ଜାରି ରହିଛି।
୧୧-👉୨୨ ରାଜ୍ୟରେ ଘନ କୁହୁଡ଼ି, ତୁଷାରପାତ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ।ଜାନୁଆରୀ ୬ରୁ ଜାନୁଆରୀ ୮ ପର୍ଯ୍ୟନ୍ତ ପୂର୍ବ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର ବିଚ୍ଛିନ୍ନ ଅଞ୍ଚଳରେ ଘନରୁ ଅତି ଘନ କୁହୁଡ଼ି ହେବାର ସମ୍ଭାବନା ବହୁତ ଅଧିକ। ଭାରତ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି ଜାନୁଆରୀ ୬ ପାଇଁ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଜାନୁଆରୀ ୬ରୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼ରେ, ଜାନୁଆରୀ ୬ରୁ ଜାନୁଆରୀ ୮ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଘନ କୁହୁଡ଼ି ଏବଂ ଶୀତଳ ଲହରୀ ପାଇଁ ସତର୍କତା ଜାରି କରାଯାଇଛି। ଏହା ବ୍ୟତୀତ ଜାନୁଆରୀ ୯ ରୁ ୧୨ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପ୍ରଦେଶ, ପୂର୍ବ ଉତ୍ତର ପ୍ରଦେଶରେ, ଜାନୁଆରୀ ୭ ପର୍ଯ୍ୟନ୍ତ ଛତିଶଗଡ଼, ଉପ-ହିମାଳ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ, ଜାନୁଆରୀ ୬ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ଗାଙ୍ଗେୟ ସମତଳ ଅଞ୍ଚଳରେ ଏବଂ ଜାନୁଆରୀ ୧୨ ପର୍ଯ୍ୟନ୍ତ ବିହାରରେ ଘନରୁ ଅତି ଘନ କୁହୁଡ଼ି ହୋଇପାରେ।
