ବ୍ୟୁରୋ ରିପୋର୍ଟ
ପନ୍ଥାରାୟଗଡ଼ା(୧୧/୧୨/୨୫): ରାୟଗଡ଼ା ସଦର ମହକୁମାରେ ଅବସ୍ଥିତ ଲାୟଂସ କ୍ଳବ୍ ପରିସରରେ ଇନ୍ଟରନେସନାଲ ହ୍ୟୁମାନ ଟାଇଟ୍ କାଉନସିଲର ଦକ୍ଷିଣପଶ୍ଚିମାଞ୍ଚଳ ଜୋନ ତରଫରୁ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ଅତି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ସମ୍ମିଳନୀରେ ଶହ ଶହ ଡଙ୍ଗରିଆ ଆଦିବାସୀ ମହିଳା, ପୁରୁଷ, ଦଳିତ ନେତୃବୃନ୍ଦ ଯୋଗଦେଇ ତାଙ୍କର ସଂଘର୍ଷର କାହାଣୀ ବର୍ଣ୍ଣନା କରିଥିଲେ । ନିଜର ଜଳ, ଜଙ୍ଗଲ, ଜମିର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରୁଥିବାରୁ ସେମାନେ କିପରି ପୋଲିସ ଓ ଖଣି କମ୍ପାନୀ ମାନଙ୍କ ଦ୍ଵାରା ଅତ୍ୟାଚାରୀତ ହେଉଛନ୍ତି ତାହା ଅତି ନିଖୁଣ ଭାବେ ବାଖାଣିଥିଲେ । ଖଣି କମ୍ପାନୀ କିଭଳି ତାଙ୍କ ଅଞ୍ଚଳକୁ ଦ୍ଵିତୀୟ ବମ୍ବେ ଗଢି ତୋଳିବ ସେଇ ସ୍ବପ୍ନ ଦେଖାଇ ତାଙ୍କ ଗାଁ ଗୁଡିକୁ ଦାଦନର ଉପତ୍ୟକା ସଜାଇ ଦେଇଛି ତାର ଦୁଃଖ ବର୍ଣ୍ଣନା କରିଥିଲେ ଅନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରୁଥିବା ୧୨ ବର୍ଷ ଜେଲ କାଟିଥିବା ଅର୍ଜୁନ କୁମାର । “ଆଦିବାସୀଙ୍କୁ ଟଙ୍କା ଦେଲେ ଟଙ୍କା ସରିଯିବ । ଚାକିରି ଦେଲେ ଗୋଟିଏ ପିଢି ପରେ ଚାକିରୀ ସରିଯିବ । କିନ୍ତୁ ଏ ମାଟି ତାଙ୍କୁ କାଳ କାଳ ଜୀବନ ଜୀବିକା ଯୋଗାଇ ଆସିଛି ଓ ପିଢ଼ି ପିଢ଼ି ଚାକିରି ଯୋଗାଇବ । ତେଣୁ କିଛି ଟଙ୍କା ଦେଇ, ଛୋଟ ଘରଟିଏ ଦେଇ ବା ଉପର ଠାଉରିଆ କିଛି ଔଷଧ ବାଣ୍ଟି ଆଦିବାସୀଙ୍କ ଉନ୍ନୟନ ହେବା କହିବା ହାସ୍ୟାସ୍ପଦ ନୁହେଁ ତ ଆଉ କଣ ?” ବୋଲି ପ୍ରଶ୍ନ କରିଛନ୍ତି ଆଦିବାସୀ ଯୁବତୀ କବିତା । ଠିକ୍ ସେଇଭଳି ନିୟମଗିରି ସୁରକ୍ଷା ଟ୍ରଷ୍ଟ ର ସଭାପତି ରାମ ପ୍ରାସ୍କା ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମାନେ ତାଙ୍କର ଶାନ୍ତିପୂର୍ଣ୍ଣ ସଂଘର୍ଷ ଜାରୀ ରଖନ୍ତୁ ଓ ବାହାରୁ ଯେଉଁ ଲୋକମାନେ ଆସି ତାଙ୍କୁ ଉସ୍କାଉଛନ୍ତି, ସେମାନଙ୍କୁ ପ୍ରତ୍ୟାଖାନ କରନ୍ତୁ । କଲ୍ୟାସିଂହପୁର ବ୍ଲକ୍ ରୁ ଆସିଥିବା ମହିଳା ଆଦିବାସୀ ନେତ୍ରୀଙ୍କ ଆନ୍ଦୋଳନ ବିଷୟରେ ବକ୍ତବ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ଆଜିର ବିଷୟବସ୍ତୁ ବିଷୟରେ ଆଲୋଚନା କରି ମୁଖ୍ୟ ଅତିଥି ଡଃ ବାଦଲ କୁମାର ତା କହିଥିଲେ ଯେ “ଆବଶ୍ୟକୀୟ ମୌଳିକ ଜିନିଷଗୁଡ଼ିକ ଉପରେ ଅଧିକାର”, ଯଥା ରୋଟି – କପଡା – ମକାନ ସହିତ ସମ୍ମାନର ଅଧିକାର ଆମ ସମସ୍ତଙ୍କ, ବିଶେଷ ଭାବରେ ଦଳିତ ନିଷ୍ପେସିତ ଙ୍କ ଅଧିକାର ଯାହା ଭାରତୀୟ ସମ୍ବିଧାନ ରେ ଲିପିବଦ୍ଧ । କର୍ତ୍ତବ୍ୟର ଦ୍ୱାହି ଦେଇ ଅନେକେ ଗରୀବ ଲୋକଙ୍କ ଅଧିକାରକୁ ସ୍ଵୀକୃତି ନଦେବା ଅତି ଉଦବେଗଜନକ ଓ ଗଣତନ୍ତ୍ର ପ୍ରତି ବିପଦ । ବଣ ପାହାଡ଼ରେ ଥିବା ସମ୍ପତ୍ତି ହିଁ ସମତଳ ଅଞ୍ଚଳର ସ୍ୱାସ୍ଥ୍ୟର ଭିତ୍ତିଭୂମି । ଆଜି ଯେଉଁ ଆଦିବାସୀ, ଦଳିତ ଯୁବକ ଯୁବତୀମାନେ ତାଙ୍କ ଗିରି ପାହାଡ ରକ୍ଷା କରିବାରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ହିଁ ସମ୍ବିଧାନକୁ ପ୍ରକୃତ ସୁରକ୍ଷା ଦେଉଛନ୍ତି ଓ ମାନବ ସମାଜର ଭାଗ୍ୟ ନୀୟନ୍ତା । ସଭାର ମୁଖ୍ୟ ବକ୍ତା ରାୟଗଡ଼ା ପୌର ପରିଷଦର ଉପାଧକ୍ଷା ଶୁଭ୍ରା ପଣ୍ଡା ଏକ ଜାତିବିହୀନ ସମାଜ ହିଁ କେବଳ ସମସ୍ତଙ୍କ ଅଧିକାର କ୍ଷୁର୍ଣ୍ଣ ହେବାକୁ ଦିଏ ନାହିଁ ବୋଲି କହିଥିଲେ । ଶାନ୍ତିପୂର୍ଣ୍ଣ ଲଢେଇ ହିଁ ମାନବିକ ଅଧିକାର ଗୁଡ଼ିକୁ ସାବ୍ୟସ୍ତ କରିବାକୁ ଦୃଢ଼ ନିଶ୍ଚିତ୍ତ କରିଥାଏ ବୋଲି ସେ ତାଙ୍କ ବକ୍ତବ୍ୟ ରଖିଥିଲେ । ସଭାରେ ଅଧ୍ୟକ୍ଷତା କରିଥିଲେ ଇନ୍ଟରନେସନାଲ ହ୍ୟୁମାନ ଟାଇଟ୍ କାଉନସିଲର ଦକ୍ଷିଣପଶ୍ଚିମାଞ୍ଚଳ ଜୋନର ସଭାପତି ଅନୁବ୍ରତ ବାରା । ବରିଷ୍ଠ ସାମ୍ବାଦିକ ଦୀପକ ପୃଷ୍ଟି, ନିରଞ୍ଜନ ପାଳ, ଦୁର୍ଗା ପାଢ଼ୀ ଓ ଅନେକ ବୁଦ୍ଧିଜୀବି ଯୋଗଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ମାନବ ଅଧିକାର କର୍ମୀ ନଳିନୀ ପାଣି ।
