ରାୟଗଡ଼ା ପୌରପାଳିକା ପରିଦର୍ଶନରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ

ବ୍ୟୁରୋ ରିପୋର୍ଟ
ରାୟଗଡ଼ା, ତା ୦୬/୧୨/୨୦୨୫: ରାୟଗଡ଼ା ପୌରପାଳିକାର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର (NAC) ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାୟଗଡ଼ା ଗସ୍ତ କରିଛନ୍ତି।
ଚିକିଟି ଏନ.ଏ.ସି ର ଅଧ୍ୟକ୍ଷ ଶ୍ରୀମତୀ ଦୀପା ସାହୁ, ଉପାଧ୍ୟକ୍ଷ ଶ୍ରୀ ହର ପ୍ରସାଦ ଚୌଧୁରୀ, କାଉନସିଲରବୃନ୍ଦ, କାର୍ଯ୍ୟନିର୍ବାହୀ ଅଧିକାରୀ, ବରିଷ୍ଠ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ,ସ୍ୱଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ପରିମଳ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳକୁ ରାୟଗଡ଼ା ପୌରପାଳିକାର କର୍ମଚାରୀମାନଙ୍କ ଦ୍ଵାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାୟଗଡ଼ା ପୌରପାଳିକାର ସମ୍ମିଳନୀ କକ୍ଷରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏହି ପରିଦର୍ଶନ ସମୟରେ ପ୍ରତିନିଧି ଦଳ ରାୟଗଡ଼ା ପୌରପାଳିକାର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଆଣ୍ଟାରିଗୁଡାଠାରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସେଠାରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (MCC), ମ୍ୟାଟେରିଆଲ୍ ରିକଭରୀ ଫାସିଲିଟି (MRF) ଏବଂ ଏଫ.ଏସ.ଟି.ପି (FSTP) ପ୍ଲାଣ୍ଟ ପରିଦର୍ଶନ କରି ବର୍ଜ୍ୟବସ୍ତୁ ପରିଚାଳନା ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ। ଏହା ସହିତ ରାୟଗଡା ପୌର ପରିଷଦ ଦ୍ଵାରା ପରିଚାଳିତ ଅଡିଟୋରିଅମ, ଆହାର କେନ୍ଦ୍ର , ଅଶୋକ କଲ୍ୟାଣ ମଣ୍ଡପ, ମହାତ୍ମାଗାନ୍ଧି ପାର୍କ ଏବଂ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟର ମଧ୍ୟ ପରିଦର୍ଶନ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ‘ସ୍ୱଚ୍ଛ ସର୍ବେକ୍ଷଣ-୨୦୨୪’ ଅଧୀନରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ଏକ ଅଗ୍ରଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ।
ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ପରିମଳ ବିଶେଷଜ୍ଞଙ୍କ ସହିତ ପୌର ପରିଷଦର କାଉନସିଲର ମାନେ ଉପସ୍ଥିତ ରହି ଚିକିଟି ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ଉଭୟ ସହରାଞ୍ଚଳରେ ପରିମଳ ସେବାରେ କିପରି ଅଧିକ ଉନ୍ନତି ଅଣାଯାଇପାରିବ ଏବଂ ସହରକୁ କିପରି ଅଧିକ ସ୍ୱଚ୍ଛ ରଖାଯାଇପାରିବ, ସେ ନେଇ ଉଭୟ ପକ୍ଷ ମଧ୍ୟରେ ଫଳପ୍ରଦ ବିଚାର ବିମର୍ଶ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!