ବ୍ୟୁରୋ ରିପୋର୍ଟ
ଶିକ୍ଷିତ ଯୁବକ ଯୁବତୀ ମାନେ ସାବଧାନ ଚାକିରି ଦେବା ନାଁ ରେ ଠକାମୀର ଶିକାର ହୋଇପାରନ୍ତି
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେଇ ନ ପାରି ଏକପ୍ରକାର ପ୍ରହସନ କରିଚାଲିଛନ୍ତି। ସାଧାରଣ ନିର୍ବାଚନ ରାଲିରେ ଜନତାଙ୍କ ଭୋଟ ହାତେଇବା ପାଇଁ ନିଯୁକ୍ତି ଦେବା ନାମରେ ଭୋକିଲା କୁକୁରଙ୍କ ମୁହଁକୁ ରୁଟି ଫୋପାଡିବା ଭଳି ୨ ଶହରୁ ୫ ଶହ ଦେଇ ନିର୍ବାଚନୀ ବୈତରଣୀ ପାର ହୋଇଛନ୍ତି। ନିର୍ବାଚନରେ ଭୋଟ ହାତେଇବା ପରେ ଯଥା ପୁର୍ବଂ ତଥା ପରଂ ଭଳି ଚାଲୁ ରହିଛି। ଯାହାର ଶତପ୍ରତିଶତ ଫାଇଦା ଉଠାଉଛନ୍ତି କିଛି ମୁନଫାଖୋର୍ ଦଲାଲ । ନା ସେନଙ୍କୁ ସାଧାରଣ ଲୋକ ବିରୋଧ କରୁଛନ୍ତି ନା ପ୍ରଶାସନ ଯାହାର ଜଳନ୍ତ ଉଦାହରଣ ବାଲେଶ୍ଵର ଜିଲ୍ଲାରେ ଦେଖିବାକୁ ମିଳୁଛି। ଘଟଣାରୁ ପ୍ରକାଶ ଯେ ପଡୋଶୀ ମୟୂରଭଞ୍ଜ ଜିଲ୍ଲା ବୈଶୀଙ୍ଗା ଥାନା ଅଧୀନ ଗୁଡ଼ିଙ୍ଗା ଅଞ୍ଚଳର ମନମୋହନ ସେଠୀ ଜଣେ ବ୍ୟକ୍ତି ଜଳେଶ୍ଵର ପୌରାଞ୍ଚଳ ଅଧୀନ ୮ନଂ ୱାର୍ଡ ପଞ୍ଚୁଘୁଣ୍ଟାରେ ଭଡ଼ାରେ ରହି ନିଜକୁ ଭାରତୀୟ ରେଲବାଇର ଉଚ୍ଚପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ ନିଜେ ବ୍ୟବହାର କରୁଥିବା ଚାରିଚକିଆ ଯାନ (ଓଡି _୦୧ ଏଜି ୮୧୪୧) ରେ ଭାରତୀୟ ରେଲୱେର ଲୋଗୋ ଲଗାଇ ଯାତାୟାତ କରୁଛନ୍ତି। ତତସହିତ ବେକାର ଯୁବକ ଯୁବତୀ ମାନଙ୍କୁ ରେଲବିଭାଗରେ ଚାକିରି କରାଇଦେବେ କହି ୩୫ ରୁ ୪୦ ହଜାର ଟଙ୍କା ନେବା ସହ ଅର୍ଜିନାଲ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ସହିତ ୭୦ କପି ପାସପୋର୍ଟ ଫଟୋ ମଧ୍ୟ ନେଉଛନ୍ତି । ଓ ପରେ କିଛିଦିନ ପରେ ନିଯୁକ୍ତି ପତ୍ର ଆସିବ କହି ଟଙ୍କା ନେଇଥିବା ଯୁବକ ଯୁବତୀ ମାନଙ୍କ କଥାକୁ ଏଡ଼ାଇ ଚାଲିଛନ୍ତି । ଏ ସମ୍ପର୍କରେ ଜନୌକ ଯୁବକ ନିଜର ନାମ ଗୋପନ ରଖି ୩୫ ହଜାର ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି । ଏସମ୍ପର୍କରେ ସଂପୃକ୍ତ ଅଭିଯୁକ୍ତ ମନମୋହନ ସେଠୀଙ୍କୁ ତାଙ୍କ ମୋବାଇଲ ନଂ ୮୩୨୮୯୭୧୩୩୮ କୁ ଯୋଗାଯୋଗ କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ପରେ ଏହାର ସତ୍ୟତା ସମ୍ପର୍କରେ ରେଳବାଇ ଖଡ଼ଗପୁର ଡିଭିଜନର ମୁଖ୍ୟ ମନୋରଞ୍ଜନ ପ୍ରଧାନ ଓ ଜଳେଶ୍ଵର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳଙ୍କୁ ପଚାରିବାରୁ ସେମାନେ ଉତ୍ତର ରଖିଲେ ଯେ ମନମୋହନ ସେଠୀ ନାମକ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଆମ୍ଭ ବିଭାଗରେ ନାହାନ୍ତି। ଆମ ବିଭାଗକୁ ବଦନାମ କରୁଥିବା ଏଭଳି ବ୍ୟକ୍ତିଙ୍କୁ ପୋଲିସରେ ଦେଲେ ସବୁ ସତ୍ୟାସତ୍ୟ ପଦାକୁ ଆସିବ।

